ମଙ୍କିପକ୍ସ ଚିହ୍ନଟ ପାଇଁ ଲଞ୍ଚ୍ ହେଲା ନୂଆ RT-PCR କିଟ୍

Private Indian firm develops RT-PCR based kit to detect Monkeypox virus

ବିଶ୍ୱରେ କରୋନା ମାମଲା ସମ୍ପୂର୍ଣ୍ଣ ଲୋପ ପାଇନଥିବା ବେଳେ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ମଙ୍କିପକ୍ସ | ଏହି ରୋଗ ଏବେ ପୁଣି ସରକାରଙ୍କ ଚିନ୍ତା ବଢାଇଦେଇଛି । ଏପର୍ଯ୍ୟନ୍ତ ଏହି ରୋଗ ୨୦ ରୁ ଅଧିକ ଦେଶରେ ବ୍ୟାପିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦୦ ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ତେବେ ଭାରତରେ ଏପର୍ଯ୍ୟନ୍ତ ଏହି ରୋଗର କୌଣସି ମାମଲା ସାମ୍ନାକୁ ଆସିନାହିଁ । ଏହି ସମୟରେ ଭାରତ ସରକାରଙ୍କ ପକ୍ଷରୁ ଏକ ଖୁସି ଖବର ଆସିଛି | ଏକ ଭାରତୀୟ ଘରୋଇ ସ୍ୱାସ୍ଥ୍ୟ କମ୍ପାନୀ ମଙ୍କିପକ୍ସ ଏହି ରୋଗର ଯାଞ୍ଚ ପାଇଁ ନୂଆ RT-PCR କିଟ୍ ଲଞ୍ଚ କରିଛି | ଶୁକ୍ରବାର ଦିନ ଔଷଧ ଉପକରଣ ପ୍ରସ୍ତୁତ କରୁଥିବା ଏହି କମ୍ପାନୀ ମଙ୍କିପକ୍ସର ରିୟଲ ଟାଇମ୍ ରିପୋର୍ଟ ଦେଉଥିବା RT-PCR କିଟ୍ ପ୍ରସ୍ତୁତ କରିଥିବା ଘୋଷଣା କରିଛି । ଏହି କିଟ୍ ମାଧ୍ୟମରେ ଜଣାପଡିବ ଯେ ରୋଗୀଠାରେ ମଙ୍କିପକ୍ସର ଲକ୍ଷଣ ଅଛି କି ନାହିଁ ।

ରିପୋର୍ଟ ଅନୁସାରେ ଟ୍ରିଭିଟ୍ରୋନ୍ ହେଲ୍ଥକେୟାରର ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ ଟିମ୍ ଏହି RT-PCR କିଟ୍ ପ୍ରସ୍ତୁତ କରିଛି । ଏହି କିଟ୍ ୪ଟି ରଙ୍ଗରେ ପ୍ରସ୍ତୁତ କରାଯାଇଛି । ସବୁ ରଙ୍ଗରେ ଏକ ସ୍ବତନ୍ତ୍ର ଫ୍ଲେଭର ବ୍ୟବହାର କରାଯାଇଛି । କମ୍ପାନୀ ଅନୁସାରେ ସିଙ୍ଗଲ ଟ୍ୟୁବ୍‌ରେ ସ୍ବାବ୍ ଟେଷ୍ଟ ମାଧ୍ୟମରେ ଏହି ପରୀକ୍ଷା କରାଯିବ । ଏଥିରେ ଚିକେନପକ୍ସ ଏବଂ ମଙ୍କିପକ୍ସ ସମ୍ପର୍କରେ ସହଜରେ ପତ୍ତା ଲଗାଯାଇପାରିବ । ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ କେବଳ ଏକ ଘଣ୍ଟା ସମୟ ଲାଗିବ ।

ଇଣ୍ଡିଆନ୍ ମେଡିକାଲ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି ଯେ, ଭାରତରେ ଏପର୍ଯ୍ୟନ୍ତ ମଙ୍କିପକ୍ସର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ । ମାତ୍ର ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସମସ୍ତ ରାଜ୍ୟକୁ ଏହି ରୋଗର ଲକ୍ଷଣ କୁହାଯିବା ସହ ସତର୍କ ରହିବାକୁ କୁହାଯାଇଛି ।

ସୂଚନା ଥାଉକି, ୟୁରୋପ ଦେଶମାନଙ୍କରେ ମଙ୍କିପକ୍ସ ଅଧିକ ମାମଲା ଦେଖାଯାଉଛି | ତେବେ ଏହି ରୋଗର ଲକ୍ଷଣ ହେଲା ଅଧିକାଂଶ ରୋଗୀଙ୍କଠାରେ ଜ୍ୱର, ଶରୀରରେ ଯନ୍ତ୍ରଣା, ଥଣ୍ଡା ଏବଂ ଥକ୍କାପଣ ଅନୁଭବ ହୋଇଥାଏ | ଗୁରୁତର ରୋଗରେ ପୀଡିତ ରୋଗୀମାନେ ମୁହଁ, ହାତ ଏବଂ ଶରୀରର ଅନ୍ୟ ଅଂଶରେ ଦାଗ ଏବଂ ଘା’ ଭଳି ସୃଷ୍ଟି ହୋଇଥାଏ |

Leave a Reply

Your email address will not be published.